Unknown

 

 

 

 

 

 

 

 

 

 

ଜ୍ଞାନ-ଉଦୟ କୋଇଲି

ଲୋକନାଥ

 

କୋଇଲି  ! କାଳିନ୍ଦୀଶିଖରେ ଯାଇ । କମଳ ଫୁଟିଅଛଇ ।

କମଳମଧ୍ୟେ ତ୍ରିବେଣୀ । କରୁଅଛି ହଂସ ଶୂନ୍ୟେ ଭ୍ରମଣି ଲୋ ।

କେ ତହୁଁ ହଂସ-ମହିମା ମୁଖେ । କ୍ରୀଡ଼ା କରେ ହଂସ ଅମନ ଶିଖେ ଲୋ ।

 

ଖୋଜୁଛନ୍ତି ଯାକୁମୁନି । ଖୋଜି ଭେଟ ନ ପାବନ୍ତି ଜ୍ଞାନୀ ।

ଖିନ୍ନନାଳର ଶିଖରେ । ଖେଳୁଅଛି ହଂସ ଶୂନ୍ୟ ମନ୍ଦିରେ ଲୋ ।

ଖଟାଅ ହଂସ ଚରଣେ ମନ । ଖଣ୍ଡନ ହେଉ ତୋ ପାତକମାନ ଲୋ ।

 

ଗୋଲକ ବୈକୁଣ୍ଠ-ଦ୍ୱାରେ । ଗଙ୍ଗା-ଯମୁନା-ମଧ୍ୟରେ ।

ଗୁମ୍ଫାକୁ ଫିଟିଛି ବାଟ । ଗୋଲାହାଟ ପରେ ପାଇବୁ ଭେଟ ଲୋ ।

ଗୁପତେ ଶୂନ୍ୟେ ରହିଛି ହଂସ । ଗର୍ତ୍ତ ଭିତରେ ପୂରାଇ ଅଶେଷ ଲୋ ।

 

ଘେନିଛ ବନ୍ଧୁ ସୋଦର । ଘୁମାଇଲେ ହେବେ ପର ।

ଘଡ଼ିଏ ତୋତେ ନଥୋଇ । ଘରୁ ଘେନି ଯିବେ ଶ୍ମଶାନ ଭୂଇଁ ଲୋ ।

ଘୋଷ ତୁ ମୁଖେ ଗୁରୁ ଶବଦ । ଘୁଞ୍ଚିଯିବ ତୋର ପାପ ପ୍ରମାଦ ଲୋ ।

 

ନୟନେ ଦେଖୁଛୁ ଯେତେ । ନ ଯିବେ କେହି ସଙ୍ଗତେ ।

ନୁହନ୍ତି କାହାରି କେହି । ନବା ଆଣିବାକୁ କିଛିହିଁ ନାହିଁ ଲୋ ।

ନାହିଁଟି ଆଉ ଅନ୍ୟରେ ଗତି । ନାମ ଆଶ୍ରେକଲେ ହେବୁ ମୁକତି ଲୋ ।

 

 

ଚଞ୍ଚଳ ନ କର ଚିତ୍ତ । ଚିଆଇଁ ଏବେ ତୁ ଚେତ ।

ଚନ୍ଦ୍ର ସୂର୍ଯ୍ୟ ବନ୍ଦୀ କର । ଚେତନାଘରେ ଚୈତନ୍ୟକୁ ଭର ଲୋ ।

ଚୈତନ୍ୟ ଚିତ୍ତେ ରହିଲେ ତୁହି । ଚାରିଯୁଗେ ଥିବୁ ଅମର ହୋଇ ଲୋ ।

 

ଛଅବଇରୀ ତୋ ବାଦୀ । କ୍ଷଣେ ନ ଦିଅନ୍ତି ସାଧି ।

ଛାଡ଼ନ୍ତି ନାହିଁ ସେ ତୋତେ । ଛାଇ ପ୍ରାୟ ରହିଥାନ୍ତି ସଙ୍ଗତେ ଲୋ ।

ଛନକା କରି ଡରାଉଥାନ୍ତି । ଛାତି ଦମ୍ଭ କର ଫିଟୁ ତୋ ଭ୍ରାନ୍ତି ଲୋ ।

 

ଜଳୁଛି ଶୂନ୍ୟରେ ଜ୍ୟୋତି । ଯହିଁ ନାହିଁ ଦିବା ରାତି ।

ଜ୍ୟୋତି-ଛାୟା ମଧ୍ୟେ ଯାଇ । ଜୀବ ପରମ ଭେଟ ଦେଖ ତୁହି ଲୋ ।

ଜୀବୁଁ ପରମ ନୋହେ ବାହାର । ଜୀବ ପରମ ଏକଇ ଅକ୍ଷର ଲୋ ।

 

ଝରୁଛି ତ୍ରିବେଣୀ-ଧାର । ଝରମୁଣ୍ଡେ ନିରାକାର ।

ଝଲକ ଜ୍ୟୋତିର ପରେ । ଝଟକୁଛି ହଂସ ଶୂନ୍ୟେ ମନ୍ଦିରେ ଲୋ ।

ଝିମିଟେ ହେତୁ ତୁ ତହିଁ ରଖ । ଝଡ଼ି ପଡ଼ିବ ତୋ କଳ୍ମଷଯାକ ଲୋ ।

 

ନିରାକାର ଖେଳ ଦେଖ । ନଦୀ ଯେ ତ୍ରିବେଣୀଶିଖ ।

ନୀଳକଳ୍ପବଟମୂଳେ । ନିତ୍ୟେ ଖେଳେ ହଂସ ଯମୁନାଜଳେ ଲୋ ।

ଲେଉଟି ହଂସ ପିଉଛି ପାଣି । ଲାଞ୍ଜରେ ଥଣ୍ଟ ତା ଦେଇଛି ହାଣି ଲୋ ।

 

 

ଟଳୁଛି ପଦ୍ମରେ ପାଣି । ଟେକ ତୁ ବାୟୁ ଉଜାଣି ।

ଟେକ ବ୍ରହ୍ମରନ୍ଧ୍ର ପରେ । ଟାକି ଚୈତନ୍ୟକୁ ରଖ ସେଠାରେ ଲୋ ।

ଟଳଟଳିଆ ନକର ମନ । ଟସକର ବହିନେବେ ତୋ ଧନ ଲୋ ।

 

ଠୂଳଶୂନ୍ୟପରେ ବାସ । ଠାକିଛି ପରମହଂସ ।

ଠାବ ନ ପାଆନ୍ତି କେହି । ଠିକେ ଗୁରୁସେବା କଲେ ତା ପାଇ ଲୋ ।

ଠାଠିକେ ତ୍ରିଲୋଚନ କହିଲେ । ଠିକେ ନାଥିଆକୁ ବୁଝାଇଦେଲେ ଲୋ ।

 

ଡାକୁଛି ଶୂନ୍ୟରେ ହଂସ । ଡାକ ଶୁଭଇ ଅଶେଷ ।

ଡେର ତୁ ଶ୍ରବଣ ଦୁଇ । ଡୋଳା ଥୟ କରି ଦିଅ ଅନାଇ ଲୋ ।

ଡୋଳାରେ ଆଗେ ଖେଳୁଛି ହଂସ । ଡର ଛାଡ଼ି ତହିଁ ରଖ ବିଶ୍ୱାସ ଲୋ ।

 

ଢଳହଳ ପଥ ଛାଡ଼ୁ । ଢାଳେହେଁ ଅମଡ଼ା ମାଡୁ ।

ଢାଙ୍କୁଣି ଫିଟିଛି ଅନା । ଢାଳେହେଁ ପଦାରେ ପଡ଼ିଛି ସୁନା ଲୋ ।

ଢେଉକୁ ଜଗି ଚୋରକୁ ଧର । ଢୁଳାଇଲେ ଘରେ ପଶିବ ଚୋର ଲୋ ।

 

ଅନ୍ଧାରେ ଅନ୍ଧ ହୋଇଲୁ । ଆଲୁଅ ଉଦେ ନ କଲୁ ।

ଅଙ୍ଗାରକୁ କଲୁ ଯତ୍ନ । ଅଣହେଳା କଲୁ ଅମୂଲ୍ୟରତ୍ନ ଲୋ ।

ଏବେହେଁ ଚେତ ତୋର ମନକୁ । ଆୟତ୍ତ କର ତୁ ଅରିମାନଙ୍କୁ ଲୋ ।

 

 

ତ୍ରିବେଣୀ ତ୍ରିକୂଟ ସ୍ଥାନ । ତଥିପରେ ନିରଞ୍ଜନ ।

ତୁଟିବ ପାପ ତୋହର । ତରକ ତେଜି ତୁ ମନରେ ଧର ଲୋ ।

ତୋହରି ଘଟେ ତୋତେ ତୁ ଚିହ୍ନ । ତୁହି ସିନା ଅଟୁ ପରମବ୍ରହ୍ମ ଲୋ ।

 

ଥୟ କର ପଞ୍ଚମନ । ଥକିତେ ରଖ ପବନ ।

ଥୟେ ନ ଜାଣନ୍ତି କେହି । ଥବିର ହୋଇ ତୁ ଦିଅ ଅନାଇ ଲୋ ।

ଥୟ ତୁ କରି ଚାହିଁ ପାଲଟି । ଥାପନାଦିଅଙ୍କୁ ନ ବଳା ଦୃଷ୍ଟି ଲୋ ।

 

ଦେବତାକୁ ଦେଖ ଯାଇଁ । ଦିଅଁ ଅଛି ଯେଉଁଠାଇ ।

ଦୃଷ୍ଟି ଦେଲେ ନାହିଁ ଦୂରେ । ଦିଅଁ ରହିଅଛି ଆପଣା ଘରେ ଲୋ ।

ଦୀପକୁ ଜାଳି ଦିଅଙ୍କୁ ଦେଖ । ଦିଅଁ ରହିଅଛି ଦେଉଳ ଶିଖ ଲୋ ।

 

ଧ୍ରୁବ ମଣ୍ଡଳ ମଧ୍ୟରେ । ଧ୍ୱନି ଅନାହତ ଦ୍ୱାରେ ।

ଧ୍ୟାନ ଦେଇ ତହିଁ ରହ । ଧ୍ୱନି ଅନାହତ ଶବଦ ପାଅ ଲୋ ।

ଧର ତୁ ହୃଦେ ଗୁରୁ ଶବଦ । ଧଇଲେ ପାଇବୁ ଏ ବ୍ରହ୍ମପଦ ଲୋ ।

 

ନିରାକାର ଶୂନ୍ୟଦେହୀ । ଲୁଚିଛି ଶୂନ୍ୟରେ ସେହି ।

ନ ଦିଶଇ ତାର କାୟା । ନିରେଖି ଚାହାଁ ଦିଶୁଅଛି ଛାୟା ଲୋ ।

ନୟନ ପ୍ରାଣେ କରୁଛି ଲୀଳା । ନିଆଁ ପରାୟେ ଜଳୁଅଛି ହୁଳା ଲୋ ।

 

 

ପରମହଁସ-ଘରକୁ । ପଡ଼ିଛି ବାଟ ଯିବାକୁ ।

ପଶିଲେ ପାଇବୁ ବ୍ରହ୍ମ । ପଥ ନିକଟ ଯିବାକୁ ଦୁର୍ଗମ ଲୋ ।

ପଡ଼ିଛି ହଂସ ଘରକୁ ବାଟ । ପରଚେ ଜ୍ଞାନୀ ଗୁରୁପାଦେ ଖଟ ଲୋ ।

 

ଫୁକା ବନ୍ଧପରେ ବାଟ । ଫିଟିଛି କଞ୍ଚି କବାଟ ।

ଫୁଲଣା ହୋଇ ତୁ ଅନା । ଫୁଟି କମଳ କରୁଛି ବାସନା ଲୋ ।

ଫୁଟିଣ ଫୁଲ ଦିଶେ ଧବଳ । ଫଳ ତେଜି ଫୁଲ ରହେ ଶୂନ୍ୟର ଲୋ ।

 

ବୁଲୁଛି ଶୂନ୍ୟ ମଣ୍ଡଳ । ବିନ୍ଦୁ ମଧ୍ୟେ ହଂସଲୀଳା ।

ବୋହୁଛି ପବନ ତହୂଁ । ବେଦ ଶବଦ ଉଦେ ଅସ୍ତ ଯହିଁ ଲୋ ।

ବାଜୁଛି ପଞ୍ଚଶବଦେ ବାଦ୍ୟ । ବ୍ରହ୍ମାଣ୍ଡ ଭେଦି ଶୁଭୁ ଅଛି ନାଦ ଲୋ ।

 

ଭେଦିବୁ ଯେବେ ସେ ଦ୍ୱାର । ଭଗାରି ପଞ୍ଚିଶ ମାର ।

ଭ୍ରୁଲତାମଧ୍ୟକୁ ଚାହିଁ । ଭବ-ଭୟ-ଭ୍ରାନ୍ତି ପକା ଛିଣ୍ଡାଇ ଲୋ ।

ଭଜ ଶ୍ରୀଗୁରୁ କହିଲେ ଯାହା । ଭଜି ନ ପାରିଲା ଲୋକନାଥିଆ ଲୋ ।

 

ମହାଶୂନ୍ୟ ମଣ୍ଡପରେ । ମଣ୍ଡଳାଅ ବାଇ ଘରେ ।

ମଶାଗୋଡ଼ ପ୍ରାୟବାଟ । ମାଡି ଯାଉଛି ମତ୍ତଗଜ ଥାଟ ଲୋ ।

ମନକୁ ତହିଁ ଦିଅ ଗଳାଇ । ମାୟାମୃଗତୃଷ୍ଣା ଯାଉ ପଳାଇ ଲୋ ।

 

 

ଜଗ ତୁ ଜ୍ୟୋତି-ଦୁଆର । ଯହିଁ ବିଜେ ନିରାକାର ।

ଜ୍ୟୋତି ପରେ ଜ୍ୟୋତି ଗୋପ୍ୟ । ଯାମିନୀ ପାହି ଜଳୁଅଛି ଦୀପ ଲୋ ।

ଯତନ କରି ଜଗିବୁ ଯେବେ । ଯୁଗେ ଯୁଗେ ଯୋଗୀ ହୋଇବୁ ତେବେ ।

 

ରମଣୀ ରସ ଫେରାଇ । ରସରେ ତା ମୁଣ୍ଡେ ନେଇ ।

ରସବିନ୍ଦୁର ଉପର । ରବିଠାରେ ନେଇ ଚନ୍ଦ୍ରକୁ ଧର ଲୋ ।

ରହିବୁ ଚନ୍ଦ୍ର ଦୁଆର ମାଡ଼ି । ରସବନ୍ଦୀ କର କାଳ ଘଉଡ଼ି ଲୋ ।

 

ଲୋଭ ମୋହ କାମ ତିନି । ଲାଭ କରୁଛନ୍ତି ହାନି ।

ଲଘୁତା ତୋହର ଛାଡ଼ୁ । ଲେଉଟି ଦୃଷ୍ଟି ତୋ ପଶ୍ଚିମେ ପଡ଼ୁ ଲୋ ।

ନୋହିଲା ବୋଲି ନକର ଭୟ । ଲହରୀ ରହିଲେ ଲାଗିବ ଭୟ ଲୋ ।

 

ବୁଝାଇଲେ ବୁଝୁ ନାହୁଁ । ବୋଲ କିପାଁ କରୁନାହୁଁ ।

ବଇରୀ ତୋର କଳ୍ପନା । ବୁଦ୍ଧିବଳ ଘେନି କାଟ ତୋ ଡେଣା ଲୋ ।

ବହୁଛି ବାର ଅଙ୍ଗୁଳେ ବାଇ । ବାନ୍ଧିଲେ ରହିବ ବହନ୍ତା ନଇ ଲୋ ।

 

ଶ୍ରୀଘଟପାଟଣାଦ୍ୱାରେ । ସୁଷୁମୁନାର ମଧ୍ୟ ରେ ।

ଶୂନ୍ୟଘରେଛନ୍ତି ରହି । ସୁଷୁମୁନାକୁ ଗର୍ତ୍ତରେ ପୂରାଇ ଲୋ ।

ସତ୍ୟଟି ଏହି ଗୁରୁ ବଚନ । ସିଦ୍ଧମାନଙ୍କର ସଙ୍ଖାଳିଧନ ଲୋ ।

 

 

ଶିକୁଳି ତଳ ଛନ୍ଦାକୁ । ଷୋଳ ଡମରୁ ଭେଦକୁ ।

ସର୍ପଫଣା ଗଣ୍ଠି ଫେଡ଼ । ଶତ୍ରୁକୁ ଜିଣି ଜୟ କର ଗଡ଼ ଲୋ ।

ସାଧିଲେ ସିଦ୍ଧି ହୋଇବ ବୋଧ । ସାରସ୍ୱତମନ୍ତ୍ରେ ଜୀବକୁ ଶୋଧ ଲୋ ।

 

ସରସ୍ୱତୀ ନଦୀତଟେ । ଗଙ୍ଗା-ଯମୁନା-ନିକଟେ ।

ସିନ୍ଧୁ ଦିଶୁ ଅଛି ଅନା । ସୂଚୀ-ଅଗ୍ରେ ବାଟ ସେ ଘରେ ସିନା ଲୋ ।

ଶଙ୍କର ଜଗୁଆଳ ସେଠାରେ । ସୂଚୀ-ଅଗ୍ରେ ବାଟ ସିନା ସେ ପୁରେ ଲୋ ।

 

ହର କପିଳାସ ଘାଟ । ହ ଅକ୍ଷରେ ମଧ୍ୟେ ବାଟ ।

ହେଟ ବୃକ୍ଷପରେ ଯାଇ । ହଂସ ରହିଅଛି ଉଲଟ ହୋଇ ଲୋ ।

ହେଜାଅ ହଂସ ଚରଣେ ମନ । ହତ ହେଉ ତୋର ପାତକମାନ ଲୋ ।

 

କ୍ଷକ୍ଷନ୍ଦ୍ରେ ବହେ ଉଜାଣି । କ୍ଷମେ ବୁଝ ପରମାଣି ।

ଛାୟା ମାୟା ଯାର ନାହିଁ । ଛନ୍ଦ ଫେଇ ଗୁରୁ ଦେଲେ ଦେଖାଇ ଲୋ ।

ଛାଡ ନା ଏବେ ମୁକତି ବାଟ । ଛାର ନାଥିଆ ତ୍ରିଲୋଚନ ଚାଟ ଲୋ ।